ନିମାପଡା:-୧୮/୧୨ (ଏସ.ଏନ.ଏସ.) ପୁରୀ ଜିଲ୍ଲା ନିମାପଡାସ୍ଥିତ ଦେବୀମଣ୍ଡପ ପଡିଆରେ ବରିଷ୍ଠ ବିଜେପି ନେତ୍ରୀ ପ୍ରଭାତୀ ପରିଡାଙ୍କ ପୌରୋହିତ୍ୟରେ ରାଜ୍ୟ ବିଜେପି ସଭାପତି ତଥା ପୂର୍ବତନ ରାଜସ୍ୱ ମନ୍ତ୍ରୀ ମନମୋହନଙ୍କ ଉପସ୍ଥିତରେ ଏକ ବିଶାଳ ବୁଥ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଆୟୋଜିତ ହୋଇଯାଇଛି । ନିମାପଡା ବ୍ଲକ କଳାପାଞ୍ଚଣ ଛକରୁ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଦଳୀୟ ନେତା ଓ କର୍ମୀ ଏକ ମୋଟରସାଇକେଲ ଶୋଭାଯାତ୍ରାରେ ଚାରିଛକ ଓ ନିମାପଡା ବଜାର ଦେଇ ସମ୍ମିଳନୀ ସ୍ଥଳକୁ ପାଛୋଟି ଆଣି ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।
ରାଜ୍ୟ ସଭାପତି ତାଙ୍କ ବକ୍ତ୍ୟବରେ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିବା ସହିତ ଦେଶରେ ଏକ ଅପାରଗ ସରକାର ଚାଲିଛି ବୋଲି କହିଛନ୍ତି । ଏହି ସରକାର ଖଣି ପାଣି ଠାରୁ ଆରମ୍ଭ କରି ବହୁ ଦୁର୍ନୀତିରେ ବୁଡି ରହିବା ସଂଗେ ସଂଗେ ରାଜ୍ୟ ଶିକ୍ଷା, ସ୍ୱାସ୍ଥ୍ୟ କ୍ଷତ୍ରରେ ବହୁ ପଛରେ ପଡିଛି ବୋଲି ମନ୍ତବ୍ୟ ଦେଇଛନ୍ତି । ସେ ମନ୍ତ୍ରୀ ଥିବାବେଳେ ଧନୁଆ ନଈର ପୁନରୁଦ୍ଧାର କରିଛନ୍ତି ବୋଲି କହିଛନ୍ତି । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିଲେ ଶିଳ୍ପ,ପର୍ଯ୍ୟଟନର ବିକାଶ ସହିତ ଏକ ମାସ ମଧ୍ୟରେ ଚାଳିଶ ଲକ୍ଷ ଚିଟଫଣ୍ଡ ଜମାକାରୀଙ୍କ ଟଙ୍କା ଫେରସ୍ତ କରାଯିବ ବୋଲି ଶ୍ରୀ ସାମଲ କହିଥିଲେ ।ସଭା ସ୍ଥଳରେ ମଝିରେ ମଝିରେ ପ୍ରଭାତୀ ପରିଡାଙ୍କ ସମର୍ଥକ ଓ ଦିଲୀପ ନାୟକଙ୍କ ସମର୍ଥକ ପ୍ରଭାତୀ ଅପା ଜିନ୍ଦାବାଦ ,ଦିଲୀପ ନାୟକ ଜିନ୍ଦାବାଦ ନାରା ଦେବାରୁ ଉଭୟେ ଦିଲୀପ ନାୟକ ଓ ପ୍ରଭାତୀ ପରିଡା ନାପସନ୍ଦ କରିଛନ୍ତି ।
ଆୟୋଜିତ ସଭାରେ ରାଜ୍ୟ ବିଜେପି ସମ୍ପାଦକ ଶାରଦା ଶତପଥୀ,ସଂଯୋଜକ ସରୋଜ କର, ଯତୀନ ମହାନ୍ତି, ପୂର୍ବତନ ସାଂସଦ ବିଭୂପ୍ରସାଦ ତରାଇ, ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ବରିଷ୍ଠ ନେତା ଦିଲୀପ ନାୟକ, ଜିଲ୍ଲା ପ୍ରଭାରୀ ରତିକାନ୍ତ ବେହେରା, ନିମାପଡା ସଂଯୋଜକ ପ୍ରଦୀପ ନାୟକ, ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ ରାୟ, ବିଜେପି ନେତା ପୂର୍ଣଚନ୍ଦ୍ର ଓଝା, ପୂର୍ଣଚନ୍ଦ୍ର ସାହୁ, ମାନସ ପ୍ରଧାନ, ଚାରିଛକ ମଣ୍ଡଳ ସଭାପତି କୃଷ୍ଣଚନ୍ଦ୍ର ସ୍ୱାଇଁ, ବିଜୟ ପଣ୍ଡା, ଜିଲ୍ଲା ମହିଳା ମୋର୍ଚ୍ଚା ସମ୍ପାଦିକା ମିନଲତା ମହାନ୍ତି, ଝିଲ୍ଲିଲତା ଦାସ ପ୍ରମୁଖ ଯୋଗ ଦେଇ ସଂଗଠନ ସୁଦୃଢ ଉପରେ ଗୁରୁତ୍ୱ ଦେଇଥିଲେ ।