କୋଣାର୍କ:- ୧୨/୧୦ (ଏସ.ଏନ.ଏସ.) କୋଣାର୍କ ଏନ.ଏ.ସି.ରେ ପାର୍କିଂ ନିଲାମ ପରେ ବେନିୟମ ଭାବେ ପାର୍କିଂ ଫିସ ଆଦାୟ ହେଉଥିବା ନେଇ ସଂଘାତିକ ଅଭିଯୋଗ ଆସିଛି। ଏନେଇ ପର୍ଯ୍ୟଟକ, ଗାଡ଼ି ଚାଲକ, କର୍ମଚାରୀ ଓ ସ୍ଥାନୀୟ ଜନ ସାଧାରଣଙ୍କ ପକ୍ଷରୁ ଦୈନିକ ବିଭିନ୍ନ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ଅଭିଯୋଗ ହେଉଥିବା ଦେଖିବାକୁ ମିଳିଛି। ବିଶେଷକରି ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବା ପାଇଁ ଆସୁଥିବା ପର୍ଯ୍ୟଟକ ମାନେ ଭୀଷଣ ଶୋଷଣ ହେଉଥିବା ଦେଖିବାକୁ ମିଳିଛି। ଗତ ୧୮/୦୯ରେ କୋଣାର୍କ ଏନ.ଏ.ସି. କାର୍ଯ୍ୟାଳୟ ପରିସରରେ ନିଲାମ ପ୍ରକ୍ରିୟା ହୋଇଥିଲା। ଆସନ୍ତା ମାର୍ଚ୍ଚ ୨୦୨୪ ମସିହା ପର୍ଯ୍ୟନ୍ତ ନିଲାମ ମୂଲ୍ୟ ସର୍ବନିମ୍ନ ୪୭ଲକ୍ଷ ଟଙ୍କା ଥିବା ବେଳେ କାର୍ତ୍ତିକ ପ୍ରଧାନ ନାମକ ଜଣେ ବ୍ୟକ୍ତି ୫୭ଲକ୍ଷ ଟଙ୍କାରେ ସର୍ବାଧିକ ନିଲାମଧାରି ଭାବେ ବିବେଚିତ ହୋଇଥିଲେ। କୋଣାର୍କ ଓ ଚନ୍ଦ୍ରଭାଗା ପାଇଁ ଏକକ ନିଲାମି କରାଯାଇଥିଲା। ବିଜ୍ଞାପିତ ପରିଷଦ ପକ୍ଷରୁ ବିଭିନ୍ନ ଗାଡ଼ି ପାଇଁ ପାର୍କିଂ ଫିସ ମୂଲ୍ୟ ଧାର୍ଯ୍ୟ କରାଯାଇଛି। ଅଟୋ ରିକ୍ସା ପାଇଁ ୨୫, ହାଲୁକା ଯାନ ପାଇଁ ୪୦ ଓ ଭାରିଯାନ ପାଇଁ ୬୦ଟଙ୍କା ଧାର୍ଯ୍ୟ କରାଯାଇଛି। ଯାହାର କୌଣସି ରେଟ୍ ଚାର୍ଟ କୋଣାର୍କ କିମ୍ବା ଚନ୍ଦ୍ରଭାଗାରେ ଲଗା ଯାଇନାହିଁ। କିନ୍ତୁ ନିଲାମଧାରୀ ତରଫରୁ ଧାର୍ଯ୍ୟମୂଲ୍ୟ ଠାରୁ ଅଧିକ ଜବରଦସ୍ତ ଆଦାୟ କରାଯାଉଥିବା ନେଇ ଅଭିଯୋଗ ହେଉଛି। ଦୈନିକ ଭାରତର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ପର୍ଯ୍ୟଟକ ଗାଡ଼ି ମାନେ ହଇରାଣ ହରକତ ହେଉଥିବା ଦେଖିବାକୁ ମିଳିଛି। ପୁର୍ବରୁ ଅନେକ ଅଭିଯୋଗ ହୋଇଥିବା ବେଳେ ଗତ ବୁଧବାର ଗୋଟିଏ ପର୍ଯ୍ୟଟକ ବସ୍ ଠାରୁ ୬୦ଟଙ୍କା ବଦଳରେ ଜବରଦସ୍ତ ଦୁଇଥର ୨୦୦ଟଙ୍କା ଲେଖା ମୋଟ ୪୦୦ଟଙ୍କା ଆଦାୟ କରି ପର୍ଯ୍ୟଟକ ମାନଙ୍କୁ ଶୋଷଣ କରାଯାଉଥିବା ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ଏନେଇ କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟରେ ଖବର ମିଳିବା ପରେ ସେ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରିଛନ୍ତି। ଏନେଇ ନିଲାମ ଧାରୀଙ୍କୁ ଚେତାବନୀ ଦେବା ପୂର୍ବକ ନୋଟିସ ଜାରି କରିଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଧଳ। ଆଗାମୀ ଦିନରେ ବ୍ୟତିକ୍ରମ ଘଟିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦେଶ ଦେଇଥିବା ନିର୍ବାହୀ ଅଧିକାରୀ ଗଣ ମାଧମ ପ୍ରତିନିଧିଙ୍କୁ ସୁଚନା ଦେଇଥିଲେ । ଏନେଇ ନିଲାମଧାରିଙ୍କୁ ଡକାଇ ଆଲୋଚନା କରିଥିବା ନେଇ ଏନ.ଏ.ସି. ଅଧକ୍ଷା ସଂଯୁକ୍ତା ତ୍ରିପାଠୀ ଜଣାଇଛନ୍ତି। ପୁର୍ବରୁ ବିନା ନିଲାମରେ ଏନ.ଏ.ସି. କର୍ମଚାରୀମାନେ ମନଇଛା ପାର୍କିଂ ଫିସ ଆଦାୟ କରି ଲକ୍ଷାଧିକ ଟଙ୍କା ହରିଲୁଟ କରୁଥିବା ନେଇ କାଉନସିଲର ମାନେ ଅଭିଯୋଗ କରିଥିଲେ। ପରବର୍ତୀ ସମୟରେ ତରବରିଆ ଭାବରେ ନିଲାମ ପ୍ରକ୍ରିୟା କରାଯାଇ ନିଲାମ କରାଗଲା। କାଉନସିଲକୁ ରାଜ୍ୱସ ଆସିଲା ସତ କିନ୍ତୁ ସାଧାରଣ ଜନତା ଓ ପର୍ଯ୍ୟଟକ ମାନେ ଶୋଷଣର ଶିକାର ହେଲେ। ନୂତନ ଭାବେ ଯୋଗଦେଇଥିବା ନିର୍ବାହୀ ଅଧିକାରୀ ଏନେଇ ସୁଚନା ପାଇବା ପରେ ନୋଟିସ ଜାରି କରିଛନ୍ତି। ଦେଖିବାକୁ ବାକି ରହିଲା ଆଗକୁ ପାର୍କିଂ ଆଦାୟରେ କିପରି ବ୍ୟବସ୍ତା କରାଯାଉଛି।

