ଏକକ ବ୍ୟବହାର ପ୍ଲାଷ୍ଟିକ ସାମଗ୍ରୀର ଉତ୍ପାଦନ, ବିକ୍ରୟ ଓ ବ୍ୟବହାର ସହିତ ଏଗୁଡିକର ବର୍ଜ୍ୟ ପରିଚାଳନା ଗୁରୁତର ସମସ୍ୟା ସୃଷ୍ଟି କରିଛି । ପରିବେଶ ଭୟଙ୍କର ଭାବେ ପ୍ରଦୂଷିତ ହେବା ସହିତ ମନୁଷ୍ୟ ତଥା ଜୀବଜଗତକୁ ନିଶ୍ଚିହ୍ନ କରିଦେବ ଏଥିରେ ସନ୍ଦେହ ନାହିଁ । ବୃକ୍ଷ, ଲତା, ଜଙ୍ଗଲ, ପାହାଡ଼, ରାସ୍ତାଘାଟ, ନାଳ, ନଦୀ, ପୋଖରୀ, ସାଗର, ମହାସାଗର, ମନ୍ଦିର, ବିଦ୍ୟାଳୟ, ମହାବିଦ୍ୟାଳୟ କୌଣସି ସ୍ଥାନ ବାକି ରହିଯାଇ ନାହିଁ ଏହି ପ୍ଲାଷ୍ଟିକ ପ୍ରଦୂଷଣରୁ । ଆମେ ଜାଣିଶୁଣି ଅନ୍ଧ । ଆମେ ଏକ ବିକୃତ ମାନସିକତା ଦେଇ ଗତି କରୁଛେ । ଆମେ ପ୍ଲାଷ୍ଟିକକୁ ଏପରି ଭାବରେ ଆମ ଜୀବନଶୈଳୀରେ ସାମିଲ କରିଦେଇଛୁ ଯେ ସତେଯେପରି ପ୍ଲାଷ୍ଟିକ ବିନା ପୃଥିବୀ ଅଚଳ ହୋଇଯିବ । ଏହାର ବ୍ୟବହାର ପାଇଁ ଅନେକ ନିୟମ, କାନୁନ, କଟକଣା ସରକାର ଲାଗୁକରିଛନ୍ତି । ଲୋକମାନେ କିପରି ସଚେତନ ହେବେ ସେଥିପାଇଁ ନିର୍ଦ୍ଦିଷ୍ଟ ଦିବସ ପାଳିତ ହେଉଛି । କିନ୍ତୁ ଏହାର ପ୍ରଭାବ ଜନମାନସ ଉପରେ ପଡୁନାହିଁ । ୨୦୧୮ ମସିହାରେ ବିଶ୍ୱ ପରିବେଶ ସମ୍ମିଳନୀ ଭାରତରେ ଅନୁଷ୍ଠିତ ହୋଇଥିଲା । ସେହିବର୍ଷ ପରିବେଶ ଦିବସର ପ୍ରସଙ୍ଗ ଥିଲା “ପ୍ଲାଷ୍ଟିକ ପ୍ରଦୂଷଣ ହଟାଅ ” । ୨୦୧୮ ମସିହା ଅକ୍ଟୋବର ମାସ ୨ ତାରିଖ ଗାନ୍ଧୀ ଜୟନ୍ତୀ ଦିବସରୁ ଓଡ଼ିଶାର ପାଞ୍ଚଗୋଟି ମହାନଗର ନିଗମ ଯଥା- ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ଓ ପୁରୀ ମ୍ୟୁନିସିପାଲିଟିରେ ୫୦ମାଇକ୍ରୋନରୁ କମ ମୋଟଇର ପଲିଥିନ ବ୍ୟବହାର ଓ ଅନ୍ୟାନ୍ୟ ଏକକ ବ୍ୟବହୃତ ପଲିଥିନି ସାମଗ୍ରୀର ବ୍ୟବହାର ଉପରେ କଟକଣା ଜାରି କରି ଅଧିସୂଚନା ପ୍ରବର୍ତ୍ତିତ ହେଲା । ଏଥିରେ ଦଣ୍ଡବିଧାନର ପ୍ରାବଧାନ ରଖାଗଲା । ପ୍ରଥମ ତିନି ସପ୍ତାହ ଦୋକାନ ବଜାରରେ, ହାଟରେ ଓ ରିଟେଲରମାନଙ୍କ ଉପରେ ଧରପଗଡ଼ ଚାଲିଲା । ଜୋରିମାନା ଆଦାୟ ହେଲା । ସମୟ ଗଡ଼ିବା ସହିତ ସମସ୍ତେ ଢିଲା ପଡିଗଲେ ଓ ପ୍ରାୟ ତିନି ସପ୍ତାହ ପରେ ପୁଣି ପଲିଥିନି ବ୍ୟବହାର ଆରଂମ୍ଭ ହେଲା । ୨୦୨୨ ମସିହା ଜୁଲାଇ ମାସ ୧ ତାରିଖରୁ ଏକକ ବ୍ୟବହୃତ ପ୍ଲାଷ୍ଟିକକୁ ଦେଶବ୍ୟାପୀ ସମ୍ପୁର୍ଣ୍ଣ ନିଷେଧ କରି ଅଧିନିୟମ ଜାରି କରାଗଲା । ଏହା ବ୍ୟତୀତ ୭୫ ମାଇକ୍ରୋନରୁ କମ ମୋଟଇର ପଲିଥିନ ମୁଣାକୁ ସେପ୍ଟେମ୍ବର ୨୦୨୦ରୁ ଓ ୧୦୦ ମାଇକ୍ରୋନରୁ କମ ମୋଟଇର ପଲିଥିନ ବ୍ୟାଗ ଓ ମୁଣାକୁ ୨୦୨୨ ଡ଼ିସେମ୍ବର ୩୧ ତାରିଖ ଠାରୁ ବ୍ୟବହାର କରିବା ଓ ଏହାର ଉତ୍ପାଦନ, ବିତରଣ ଓ ବିକ୍ରୟ ପ୍ରକ୍ରିୟାକୁ ବାରଣ କରାଯାଇଛି । ଅଧିସୂଚନା ଜାରି ପରେ ପରେ ମାତ୍ର ଏକ ସପ୍ତାହ ଜୋରସୋରରେ ବିଭିନ୍ନ ଦୋକାନମାନଙ୍କରେ ଧରପଗଡ଼ ଚାଲିଲା । ତା ପରର ଅବସ୍ଥା ଯଥାପୂର୍ବଂ ତଥା ପରଂ । ସରକାରୀ ଅଧିନିୟମକୁ ଜନସାଧାରଣ, ବ୍ୟବସାୟୀ ଫୁ କରି ଉଡାଇ ଦେଲେ । ଏବେ ନୂଆବର୍ଷ ଆରମ୍ଭ ହେଇଛି । ପିକନିକ ୠତୁ ଚାଲିଛି । ପଲିଥିନର ବହୁଳ ଭାବରେ ବ୍ୟବହାର କରାଯାଉଛି । ପ୍ରାତଃଭ୍ରମଣ କରି ଫେରିବା ସମୟରେ ଅଧିକାଂଶ ବୟସ୍କ ଓ ବରିଷ୍ଠ ନାଗରିକ ପଲିଥିନରେ ସଉଦା ଓ ପରିବା ନେଇ ଘରକୁ ଫେରୁଥିବାର ଲକ୍ଷ୍ୟ କରାଯାଇଥାଏ । କିନ୍ତୁ ସେମାନେ ସମସ୍ତେ ଶିକ୍ଷିତ ଓ ଚାକିରିଆ । ପଲିଥିନର ଦୁର୍ଗୁଣ ସମସ୍ତଙ୍କୁ ଉଣାଅଧିକେ ଜଣା । ଏଠି ଦୃଢ ଇଛାଶକ୍ତି ଓ ସୁସ୍ଥ ମାନସିକତାର ଅଭାବ । ଭାବୁଥିବେ ସରକାର ତାଙ୍କର ନିୟମ ପ୍ରଣୟନ କରିଚାଲିଛନ୍ତି । ଆମକୁ କଣ ଫରକ ପଡୁଛି । ସତେଯେପରି ପରିବେଶ ସୁରକ୍ଷା ଦାୟିତ୍ତ୍ୱ ସରକାରଙ୍କର ଆମର ନୁହେଁ । କେନ୍ଦ୍ର ସରକାର plastic waste management rules 2016 ରେ ଆଗତ କରିଛନ୍ତି । ଜନସାଧାରଣମାନେ ଅଭିଯୋଗ ଓ ମତାମତ ନିଜର ପନ୍ଦର ଡ଼ିସେମ୍ବର ୨୦୨୩ ସୁଦ୍ଧା ଦେଇପାରିବେ । ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର କରିବା ବା ନକରିବା ପାଇଁ ଜନସାଧାରଣଙ୍କ ମନରେ ରହିଥିବା ଢିଲାପଣ ଓ ବିଗିଡି ଯାଇଥିବା ମାନସିକତା ସଜାଡ଼ିବାକୁ ହେଲେ ଦଣ୍ଡ ଓ ପୁରସ୍କାର ରହିବା ଉଚିତ ।